ମରୁଭୂମିରେ ବନ୍ୟା ( ୩,୪)


 ଶୋଭନା, ସବୁ ଜାଣିଶୁଣି ମାନେ ରୁଲିଂ ପାର୍ଟିରେ ଥିବା ଏ ଅଂଚଳର ଏମ୍.ଏଲ.ଏ, ତାଙ୍କ ବିରୋଧରେ ଏ ଖବର ଯଦି ଆମେ ପ୍ରକାଶ କରିବୁ କେବେ ଭାବିଛ ଆମର ଅବସ୍ଥା କ’ଣ ହେବ । ଶୋଭନା ଉତ୍ତର ଦେଉଛି “ମୋ’ କଥା ତ ଥରେ ଶୁଣିବାକୁ ଚେଷ୍ଟା କରନ୍ତୁ… ଯେଉଁକଥା ସତ ତାହା ଗ୍ରହଣୀୟ ତା ଛଡା ଘଟଣାର ଆଇ ୱୀଟନେସ୍ ତ ଏ କଥା କହୁଛି ନା ।” [ଶୋଭନା ଭାରି ସରଳ ସ୍ୱଭାବର ଝିଅ । ବାପା ମା ଛେଉଣ୍ଡ । କାମ କରେ ଏକ ନ୍ୟୁଜ୍ ରିପୋର୍ଟରର। ଶୋଭନା ମନେ ମନେ ଭାବୁଛି ଯଦି ପୁରୁଣା ଏଡିଟର ଦୀପକ ସାର୍ ହେଇଥାନ୍ତେ ସେ ଥରେ ବୁଝିବାକୁ ଚେଷ୍ଟା କରିଥାନ୍ତେ ନିଶ୍ଚୟ । ଦୀପକର ପ୍ରମୋସନ ହେଲା ପରେ ନୂଆକରି ଜଣେ ଦାଇତ୍ଵ ନେଇଛନ୍ତି ମଦନ ବାବୁ ।] ମଦନ ବାବୁ ପଚାରୁଛନ୍ତି ଶୋଭନା କୁ, "ତୁମେ କ’ଣ କହିବାକୁ ଚାହୁଁଛ ?" ଶୋଭନା କହୁଛି “ମୁଁ ଠିକ ସେଇ କଥା କହିବାକୁ ଚାହେଁ, ଏ ଖବର ଆଉ କାହା ହାତରେ ପଡ଼ିବା ଆଗରୁ ଆମ ଖବର କାଗଜରେ ପ୍ରକାଶ ପାଇବା ଦରକାର ।“ ମଦନ ବାବୁଙ୍କ ଉତ୍ତର “ତୁମେ ଜାଣିନ ଶୋଭନା, ନୂଆ ନୂଆ ସାମ୍ବାଦିକତା କରୁଛ । ଯାହାକୁ ତୁମେ ଘଟଣାର ସାକ୍ଷୀ  ବୋଲି କହୁଛ ସିଏ କେଇଟା ଟଙ୍କା ପାଇଲେ ମୁହଁ ଆପେ ଆପେ ବନ୍ଦ କରିଦେବ, ଓଲଟା ସେମାନେ ଆମ ଉପରେ ଅଭିଯୋଗ କରିବେ ।“ “ହେଲେ ସତତ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ସାର, ଜଣେ ନାରୀ ହିସାବରେ ଆଉ ଜଣେ ନାରୀ ଉପରେ ହୋଇଥିବା ଅତ୍ୟାଚାର ସହି ପାରିବିନି । ସେ ମୋର ପିଲାଦିନର ସାଙ୍ଗ । ପିଲାଦିନର ସେଦିନ ଆଜିବି ମୁଁ ସାଇତି ରଖିଛି । ଆପଣ ଆଉ ମନା କରନ୍ତୁନି ।“ ଶୋଭନା ଭାବୁଛି ସବୁ ଜାଣିଶୁଣି କେମିତି ଚୁପ ରହିବ ସିଏ । ଠିକ ଏହି ସମୟରେ ମଦନ ବାବୁ କହୁଛନ୍ତି, "ମୁଁ ଭାବୁଛି ଶୋଭନା ତୁମେ ଦୀପକ ସାରଙ୍କୁ ଏକଥା କୁହ ହୁଏତ ସେ ରାଜି ହେଇପାରନ୍ତି।"
‌ଶୁଣୁଛ ଆମ ଦୀପକର ପ୍ରମୋସନ ହୋଇଯାଇଛି । ଆଉ ନୂଆ କାର୍ ମଧ୍ୟ କମ୍ପାନୀ ଦେଇଛି । "କ'ଣ କହୁଛ ତୁମେ ସତ ।" "ଆଉ କ'ଣ ମୁଁ ମିଛ କହୁଛି, ଏବେ ଦୀପକ ଫୋନ୍ କରିଥିଲା ।" ଇଏ ତ ଖୁସିର କଥା । ଯଶୋଦା ଦେବୀ ଓ କେଶବ ବାବୁ କଥା ହେଉଛନ୍ତି । ଏପଟେ ଦୀପକ ଘରକୁ ଫେରୁଛି । ମାର୍କେଟିଂ ସାରି ନିଜ ଘର ବାଣୀବିହାର ଫେରୁଛି । ମନରେ ଅସୀମ ଆଶା ଆଜି ଦୋଳି ଖେଲୁଛି । ଖୁସିରେ ଆସୁଛି ହଠାତ୍ କାହିଁ କେଉଁଆଡ଼ୁ ବର୍ଷା ସହ ପବନ ବୋହିଆସିଲା।  ଜନଗହଳି ପୂର୍ଣ୍ଣ ରାଜରାସ୍ତା ଜନହୀନ ମରୁଭୂମି ପାଲଟି ଗଲା। ଦୀପକ ମନେମନେ ଭାବୁଛି ଟିକିଏ ରହିଯିବ ବର୍ଷା ପବନ କମିଗଲା ପରେ ଘରକୁ ଯିବ । ପବନ କମିଗଲା ହେଲେ ବର୍ଷା ଲାଗି ରହିଥାଏ । ଦୀପକ ଏ କ'ଣ ଦେଖୁଛି ଗୋଟିଏ ଝିଅ ରାସ୍ତା ଉପରେ ଠିଆହୋଇ ଲିଫ୍ଟ ମାଗୁଛି । ଦୀପକ କାରର ୱୀଣ୍ଡୋ ଖୋଲିଲା ନଜର ପଡ଼ିଲା ବାହାରକୁ । ସେ  ଝିଅଟି ଆଉ କିଏ ନଥିଲା ବରଂ ଶୋଭନା ଥିଲା । "ଶୋଭନା ତୁମେ ଏଠି ? ବର୍ଷାରେ ଭିଜି, ଏତେ ରାତିରେ ?" "ସେ ଅନେକ କଥା ଦୀପକ ।" ଏତିକି କହି କାରରେ ବସିପଡ଼ିଲା ଶୋଭନା । ବର୍ଷା ଭିଜା ଶୋଭନା ଶୀତରେ ଥରଥର ହେଉଛି । ଦୀପକ ଆଉ କିଛି ନଭାବି ନିଜର ଜ୍ୟାକେଟ ଖୋଲି ଶୋଭନା କୁ ଦେଇ ପଚାରୁଛି, "ହଁ ସେ କଥା ମୁଁ ଜାଣିବାକୁ ଚାହେଁ।" "ତୁମେ ଜାଣିଛ ଆଜି ଯେଉଁ ରିପୋର୍ଟ ତୁମକୁ ମୁଁ ଦେଇଛି, ଆଉ ଯେଉଁ ସାକ୍ଷୀ କଥା କହୁଥିଲି ସେ ମୋତେ ଡାକିଥିଲେ । ମୁଁ ଆଶ୍ଚର୍ଯ୍ୟ ଏ କଥା ଏମ୍.ଏଲ.ଏ. ଜାଣି ସାରିଛନ୍ତି ଆଉ ସେ ମଧ୍ୟ ସେଇଠି ଥିଲେ।  ସେମାନେ ସମସ୍ତେ ମିଶି ମୋତେ ଟଙ୍କା ଦେଉଥିଲେ, ଖବରକୁ ଚପାଇ ଦେବାପାଇଁ । ହେଲେ ତୁମେ ତ ଜାଣିଛ, ବାପା ମାଆ ଚାଲିଗଲା ପରେ ମୁଁ ଏକୁଟିଆ । ଜୀବନର ଲକ୍ଷ ଜଣେ ସଚ୍ଚୋଟ ସାମ୍ବାଦିକ ହେବାକୁ । ମୁଁ କେବେ ମୋ ବୃତ୍ତିକୁ ବେଉସା କରିପାରିବିନି । ମୁଁ ସିଧାସିଧା ମନା କରିଦେଲି ମୁଁ ଏ ଟଙ୍କା ନେଇପାରିବି ନାହିଁ । ତା'ପରେ ସେମାନେ ମୋତେ ମାରିଦେବାପାଇଁ ମୋ' ର ପିଛା କରୁଥିଲେ ।"  ଏତିକି କହି ଶୋଭନା କାନ୍ଦିବା ଆରମ୍ଭ କରିଦେଲା । ଦୀପକ ଭାବୁଛି ସିଏ ଶୋଭନାକୁ ନିଜ ଘରକୁ ଯିବାପାଇଁ କହିବ । ବାଣୀବିହାର ଛକରେ ପହଞ୍ଚିବା ପରେ, "ତୁମେ ଆମ ଘରକୁ ଚାଲ,  ଆମ ଘର ତୁମପାଇଁ ସୁରକ୍ଷିତ ।" ତୁମ ଘରେ କେହି କିଛି ଭାବିବେ ନାହିଁ ? ଏଥିରେ ଭାବିବାର କ'ଣ ଅଛି, ସେମାନେ ତୁମକୁ ଆଗରୁ ଜାଣିଛନ୍ତି।  ଶୋଭନା ନୀରବ ରହିଲା ତା'ର ଏକୁଟିଆ ପଣ ଯିବାପାଇଁ ଆଜି ବାଧ୍ୟ କରୁଛି । ଗାଡ଼ିକୁ ଆଗେଇ ନେଇ ଦୀପକ ଘରେ ପହଞ୍ଚିଲା । ଯଶୋଦା ଦେବୀ କହୁଛନ୍ତି ଦୀପକ ଆସିଲା ବୋଧ ହୁଏ ଯାଏ କବାଟ ଖୋଲେ । ଦୀପକ ସହିତ ଶୋଭନା କୁ ଦେଖି ଭାରୀ ଖୁସି ହୋଇଗଲେ । ଶୋଭନା ଯାଇ ପ୍ରଣାମ କଲା ଯଶୋଦା ଦେବୀଙ୍କୁ । ଯଶୋଦା ଦେବୀ ଶୋଭନାକୁ ଘର ଭିତରକୁ ଡାକି ନେଲେ । ଓଦା ହେଇଥିବା ଦେଖି ନିଜ ଝିଅର କିଛି ଡ୍ରେସ ଦେଇ କହିଲେ, "ଚେଞ୍ଜ କରିଦେ ମା..." ମୁଁ କଫି ଆଣୁଛି । କଫି ପିଉଥାଏ ମନେମନେ ଧନ୍ୟବାଦ ଦେଉଥାଏ ଦୀପକ କୁ ।  ଏତିକି ବେଳେ ସୋମ୍ୟା, ଦୀପକର ଭଉଣୀ ରୋଷେଇ ଘରୁ ଆସିଛି ଆଉ କହୁଛି ଆପଣ ଶୋଭନା ନା...  ଏହାପରେ ଦୁଇଜଣ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ରାତ୍ରି ଭୋଜନ କରିବା ପରେ ସମସ୍ତେ ଶୋଇବାକୁ ଗଲେ । ଏକା ଏକା ଅନୁଭବ କରୁଥିବା ନୂଆ ଅତିଥିକୁ ସୋମ୍ୟା ନେଇଯାଇଛି ନିଜ ରୁମକୁ ।  ଯଶୋଦା ଦେବୀ କହୁଛନ୍ତି ହେଇ ଶୁଣୁଛ, ମୁଁ ଯାହା କଥା ତୁମକୁ କୁହେ ସେ ଏଇ ଝିଅ । ଭାରୀ ସରଳ, ତା' କୁ ଆମ ଘରର ବୋହୂ କଲେ କେମିତି ହୁଅନ୍ତା ? କେଶବ ବାବୁ କହୁଛନ୍ତି, "ଦୀପକ ବାହା ନହେବା ପାଇଁ ଯୋଉ କହୁଛି..." ଛାଡ଼ ସେ କଥା ରାତି ଅନେକ ହେଲାଣି ।
‌କ୍ରମଶଃ...



Comments