ମରୁଭୂମିରେ ବନ୍ୟା (ଭାଗ- ୧,୨)

    “ବୋଉ…” “ବୋଉ…” ସବୁବେଳେ ତ ତୋ’ର ଡେରି..। ତୁ ତ ଜାଣିଛୁ ଗୋଟେ ପ୍ରାଇଭେଟ କମ୍ପାନୀରେ ମୁଁ ଅଛି, ଟିକେ ଜଲଦି ଟିଫିନଟା ରେଡି କଲେ ହୁଅନ୍ତାନି ? ପାଞ୍ଚ ମିନିଟ ବି ଡ଼େରିହେଲେ କ’ଣ ନାହିଁ କ’ଣ ଶୁଣିବାକୁ ପଡୁଛି । ତୁ ଭଲ ଭାବରେ ଜାଣିଛୁ ମୁଁ କାହାର ଗାଳି, ତାଗିଦ୍ ଶୁଣିବାକୁ ପସନ୍ଦ କରେନି । ଆସୁଛୁ ନା ମୁଁ ବାହାରିଲି ? କିଚନ୍ ରୁମରୁ ଆୱାଜ ଆସିଲା, “ହଁ ସରିଲା, ମୁଁ ନେଇ ଆସୁଛି । କ’ଣ ବା କରିବି ? ତୋ’ର ଟିଫିନ୍, ତୋ ବାପାଙ୍କ ପାଇଁ ଦୁଇ ଦୁଇ ଥର ଚା.. ଆଉ ତୋ ଭଣଜାକୁ ନେଇ ସ୍କୁଲରେ ଛାଡିବା… କେତେ କାମ କହିଲୁ ? ତତେ ବାରମ୍ବାର କହୁଛି ତୋ’ର ବାହାଘର କରିଦେବା । ତୁ କୋଉଠୁ ସୁଣୁଛୁ ? ହେଇ ନେ….।” “ମୁଁ ଆସୁଛି ବୋଉ ବାହାଘର କଥା କେବେ କହିବୁନି । ମୁଁ ସେ ଜଞ୍ଜାଳ ରେ ପଶିବାକୁ ଚାହେଁନା ।“ ଦୀପକ ଏତିକି କହି ମୋଟର ସାଇକେଲ ଷ୍ଟାର୍ଟ କରି ଚାଲିଗଲା ତା’ର ଗନ୍ତବ୍ୟ ସ୍ଥଳକୁ… । ଏଣେ ଯଶୋଦା ଦେବୀଙ୍କ ଦୁଃଖ କହିଲେ ନସରେ ।ଯଶୋଦା ଦେବୀ ବିରକ୍ତ ହେଇ, “ଆଉ ମୁଁ କିଛି କାମ କରି ପାରିବିନି…।” “କାହାକୁ କହୁଛ ?”, ଚାହା କପ୍ ଟିକୁ ପ୍ଲେଟ୍ ଉପରେ ରଖି, ପପେର ଉପରୁ ନଜର ଉଠେଇ ପଚାରୁଛନ୍ତି କେଶବ ମଙ୍ଗରାଜ ମାନେ ଯଶୋଦା ଦେବୀଙ୍କ ସ୍ୱାମୀ । ଯଶୋଦା ଦେବୀ ଉତ୍ତରରେ, “କାହାକୁ କହିବି କାନ୍ଥ ବାଡ଼କୁ…।” “ଆଜି କ’ଣ ତମର ମନ ଭଲ ନାହିଁକି ?” ଯଶୋଦା ଦେବୀ ଚା କପ୍ ଟିକୁ ଉଠାଇ ନେଇ କହୁଛନ୍ତି, “କେବେ ଦୀପକ ରାଜି ହେବ ବାହାହେବା ପାଇଁ ?, ତାକୁ ୩୪ ବର୍ଷ ହେଲାଣି ।” “ମୁଁ ମଧ୍ୟ ସେଇକାଥା ଭାବୁଛି । କ’ଣ ପାଇଁ ସେ ବାହାଘର ନାଁ ଶୁଣିଲେ ରଗିଯାଉଛି ? କେଜାଣି କେବେ ସେ କହିବ ବାହାହେବା ପାଇଁ ।“, ଏତିକି କହି କେଶବ ବାବୁ ପୁଣି ନଜର ପକାଇଲେ ଖବର କାଗଜ ଉପରେ ।
                                         ୨
        ଦୀପକ ଏକ ଖବର କାଗଜ ସଂସ୍ଥାରେ ସମ୍ପାଦକ ରୁପେ କାମ କରେ । ତା’ର କାମ ପାଇଁ ସମସ୍ତେ ତାକୁ ପ୍ରଶଂସା କରନ୍ତି । ଘରଠାରୁ ମାତ୍ର ଛଅ କିଲୋମିଟର ଦୂର। ଦୀପକ ଆଜି ଆସିବାର ଟିକେ ଲେଟ୍ ହୋଇଯାଇଛି। ତା’ ଠାରୁ ଆଗରୁ ଆସିସାରିଛନ୍ତି ସଂସ୍ଥାର ନିର୍ଦ୍ଦେଶକ । ହଠତ୍ ଦୀପକ ଟେବୁଲରେ ଥିବା ଲ୍ୟାଣ୍ଡ ଫୋନ୍ ବାଜିଉଠିଲା । କଲଟି ଡ଼ାଇରେକ୍ଟରଙ୍କର ଥିଲା, ଡକେଇଛନ୍ତି ତାଙ୍କ ଚ୍ୟାମ୍ବରକୁ । ଆଜି କ’ଣ ସାର ପୁଣି ରାଗିବେ ? ଦୀପକ ଭାବୁଛି ଆଉ ସେ ମୁଣ୍ଡପାତି ସହିଯିବନି ଆଗପରି । ଟିକେ ଲେଟ୍ ହେଇଗଲା, କାହାର କ’ଣ ପରିବାର ବୋଲି କିଛି ନାହିଁ ? ତା ଛଡ଼ା ସବୁଦିନ ତ ସମାନ ନୁହେଁ । ଯଦି ସାର ଏ ବିଷୟରେ କିଛି କୁହନ୍ତି ସେ ଏଥର ମନା କରିଦେବ । “ମୁଁ ଆପଣଙ୍କ କମ୍ପାନୀରେ ଆଉ କାମ କରି ପାରିବିନି, ନିଜର ତ ଗୋଟେ ଆତ୍ମସମ୍ମାନ ବୋଲି କିଛି ଅଛି“, କହିଦେବ ସିଏ । ଆଉ ଡେରି ନ କରି ଦୀପକ କହିଲା, “ମେ ଆଇ କମ୍ ଇନ୍ ସାର…?” । “ଓଃ ଦୀପକ, ୟେସ୍ କମ୍ ଇନ୍, ଟେକ୍ ଦ ସିଟ୍” ସାରଙ୍କ ଏପରି ନମ୍ର ବ୍ୟବହାର ଦେଖି ଦୀପକ ଭାବୁଛି, ଆଜି ବୋଧହୁଏ ସୂର୍ଯ୍ୟ ପଶ୍ଚିମ ଦିଗ ରେ ଉଦୟ ହୋଇଛନ୍ତି । “ହଁ ଦୀପକ ତୁମେ କାଲିଠାରୁ ଆଉ ବାଇକରେ ଆସନାହିଁ, ଏଇ କାର ଚାବିଟି ନିଅ”, ଏତିକି କହି କାର ଚାବି ବଢ଼େଇ ଦେଲେ ଡ଼ାଇରେକ୍ଟର ସାର । ଆଜିଠୁ ତୁମେ ଆମ ଖବର କାଗଜର ଚିଫ୍ ଏଡିଟର । ତୁମ କାମ ପାଇଁ ଆମ ସଂସ୍ଥା ଢେର ଉନ୍ନତି କରିଛି । ଲୋକମାନେ ଆମ ଖବରକୁ ପସନ୍ଦ କରୁଛନ୍ତି । ଦୀପକ ମନରେ ବସା ବାନ୍ଧିଥିବା ସେଇ ପ୍ରତିବାଦର ସ୍ୱର ଧୀରେ ଧୀରେ କୋମଳ ବାକ୍ୟରେ ପରିଣତ ହୋଇ ଯାଇଛି । ଆପେ ଆପେ ଓଠରୁ ତା’ର ବାହାରି ଆସିଛି, “କାର୍ ?”, “ହଁ ଏଇଟା ତୁମପାଇଁ ଏକ ସ୍ପେଶାଲ ଗିଫ୍ଟ । ଆଉ ପାର୍ଟି କେବେ ଦେଉଛ ?” ନିଶ୍ଚୟ ସାର ନିଶ୍ଚୟ । 
କ୍ରମଶଃ



Comments